sita rutu essay in odia language || ଶିତ ଋତୁ ରଚନା || Odia essay on "sits rutu"

sita rutu essay in odia language

odia essay sita rutu (ଶିତଋତୁ ରଚନା )

ଶିତଋତୁ ରଚନା

 ଉପକ୍ରମ : ବିଶ୍ବବିଧାତାଙ୍କର ବିଚିତ୍ର ବିଧାନକ୍ରମେ ଧରଣୀ ପୃଷ୍ଠରେ ଅବତରଣ କରୁଥିବା ଛଅଗୋଟି ରତୁ ମଧ୍ୟରେ ଶୀତରତୁ ଅନ୍ୟତମ । ସାଧାରଣତଃ ପୌଷ ଓ ମାଘ ମାସକୁ ଶୀତରତୁ ବୋଲି ବିଚାର କରାଯାଉଥିଲେ ମଧ୍ୟ କାର୍ତ୍ତିକ , ମାର୍ଗଶୀର , ପୌଷ ଓ ମାଘ , ଏହି ଚାରିମାସ ଶୀତର ପ୍ରାଧାନ୍ୟ ଅନୁଭୁତ ହୁଏ । ଉତ୍ତର ଦିଗରୁ ପ୍ରବାହିତ ହେଉଥିବା ଶୀତଳ ପବନ ଏହି ଋତୁର ଶୀତକୁ ଅଧୁକ ତ୍ବରାନ୍ବିତ କରାଏ ।

ଶୀତଋତୁର ପ୍ରକୃତି : ଶୀତଋତୁର ଶିଶିରସ୍ନାତା ଧରଣୀରାଣୀ ଅପୂର୍ବ ଶ୍ରୀ ମଣ୍ଡିତା ହୋଇଥାଏ । ଘାସବୁଦା ଓ ନାନାଦି ଗୁଳ୍ମରେ ପଡ଼ିଥିବା ଶିଶିର ବିନ୍ଦୁ ମୁକ୍ତା ଭଳି ଝଟକି ଉଠେ । ବାଡ଼ିବଗିଚାରେ ଫୁଟି ଉଠିଥିବା ଗେଣ୍ଡୁ , ଗଙ୍ଗଶିଉଳି , ତରାଟ , ସୋରିଷ , ଅଳସି ଓ ଗୋଲାପ ଫୁଲ ଆଦିର ଶୋଭା ଓ ସୌରଭ ଦର୍ଶକକୁ ବିମୋହିତ କରେ । ନଦୀ ପଠା ଓ ଜଳସେଚିତ କୃଷି କ୍ଷେତ୍ରରେ ନାନା ରବି ଫସଲ ତଥା ପନିପରିବା ଦେଖୁଲେ ମନେହୁଏ ସତେ ଯେଭଳି ସୌଭାଗ୍ୟ ଲକ୍ଷ୍ମୀ କୃଷକର ହାତପାଆନ୍ତାରେ ଉପସ୍ଥିତା ହୋଇଛନ୍ତି । ଏହି ସମୟରେ ଧାନ କ୍ଷେତରେ ସୁନାର ହାଟ ବସେ କହିଲେ ଅତ୍ୟୁକ୍ତି ହେବ ନାହିଁ । କୃଷକ ମନ ଫୁଲାଣିଆ ଗୀତ ଗାଇ ଧାନକାଟି ଶଗଡ଼ରେ ଅବା ବାହୁଙ୍ଗୀରେ ବହନକରି ଆସୁଥିବାର ଦୃଶ୍ୟ ଗାଁ ଦାଣ୍ଡକୁ ପରିପୂର୍ଣ୍ଣ କରିଦିଏ ।

ଶୀତସକାଳର ଦୃଶ୍ୟ : ଶୀତ ଋତୁର ମେଘ ମୁକ୍ତ ଆକାଶ , ନିର୍ମଳ ଚନ୍ଦ୍ରମଣ୍ଡଳ , ଶୀତ ସକାଳର ସୂର୍ଯ୍ୟ କିରଣ , ପୁଷ୍କରିଣୀର ସ୍ଵଚ୍ଛ ନିର୍ମଳ ଜଳରେ ତୀରବର୍ତ୍ତୀ ବୃକ୍ଷମାନଙ୍କର ପ୍ରତିବିମ୍ବ କବି ଓ ଭାବୁକ ମନରେ ପୁଲକ ଜାତ କରେ । କାଶତଣ୍ଡୀ ଫୁଲର ମଳିନ ଆଭା ପ୍ରକୃତି ରାଣୀର ଉତ୍ତର ବୟସର ପକ୍ଵକେଶର ଭ୍ରାନ୍ତି ସୃଷ୍ଟି କରେ । ଶୀତ ସକାଳରେ ଗାଁ ଦାଣ୍ଡ ମୁଣ୍ଡରେ ଶିଶୁ ଓ ବୃଦ୍ଧବୃଦ୍ଧାମାନଙ୍କର ନିଆଁ ଜାଳି ଜାଡ଼କଷ୍ଟରୁ ରକ୍ଷାପାଇବାର ଦୃଶ୍ୟ ମନୋହର ମନେ ହୁଏ । ସନ୍ଧ୍ୟା ସମୟରେ ଗାଁ ଦାଣ୍ଡ ମୁଣ୍ଡ ଭାଗବତ ଘରେ ଭାଗବତ ପାଠ , ହରିନାମ କୀର୍ତ୍ତନ ଶୀତ ସନ୍ଧ୍ୟାକୁ ପୂତ ପବିତ୍ର କରିଥାଏ । 

ଶୀତରତ୍ବର ପର୍ବ : ଶୀତରତୁ ସୁଖ ଓ ସୌଭାଗ୍ୟର ଋତୁ ରୂପେ ଧରଣୀରାଣୀକୁ ଶସ୍ୟ ସମ୍ଭାରରେ ପରିପୂର୍ଣା କରିବା ସହିତ ନାନା ପୂଜା ପାର୍ବଣରେ ଜନଜୀବନକୁ ଆମୋଦିତ କରେ । ଏହି ଋତୁରେ ନୂଆ ଧାନ ଅମଳ ହୋଇଥିବାରୁ ମହାଲକ୍ଷ୍ମୀ ପୂଜା , ମାଣବସା ଗୁରୁବାର , ଶାମ୍ବଦଶମୀ ପ୍ରଭୃତି ପର୍ବପର୍ବାଣି ପାଳିତ ହୋଇଥାଏ । ଧନୁ ସଂକ୍ରାନ୍ତି ଓ ସରସ୍ବତୀ ପୂଜା ଏହି ଋତୁରେ ଦୁଇଟି ମୁଖ୍ୟ ପର୍ବ । ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହେଉଥିବା ଏହି ପର୍ବ ଦୁଇଟି କୃଷି ସଭ୍ୟତା ଓ ବାଗ୍ଦେଵୀ ଆରାଧନା , ଉଭୟର ମହନୀୟତାର ପ୍ରମାଣ ଦିଏ । ଏହି ଋତୁରେ କର୍ମକ୍ଲାନ୍ତ ମଣିଷ ଓ ବିଦ୍ୟାଧାୟୀ ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଥାନ ପରିଭ୍ରମଣକରିବାର ମାଦକତା ଅନୁଭବ କରିବା ସହିତ ଭୋଜି ଆୟୋଜନ କରି ଆନନ୍ଦ ଲାଭ କରିଥାନ୍ତି । ଏହି ଋତୁରେ ନାନାକ୍ରୀଡ଼ା କଉତୁକ ଓ ଯାନିଯାତ୍ରା ଅନୁଷ୍ଠିତ ହୋଇଥାଏ ।

ଶୀତର ଅହିତ : ମନୁଷ୍ୟ ଜୀବନରେ କୌଣସି ସମୟ ସମ୍ପୂର୍ଣ୍ଣ ସୁଖ କିମ୍ବା ଦୁଃଖରେ ଯାଏ ନାହିଁ । ସୁଖ ଦୁଃଖ ଉଭୟର ସମନ୍ବୟରେ ତାକୁ କାଳକାଟିବାକୁ ପଡ଼ିଥାଏ । ଅନେକ ସୁଖ ସୌଭାଗ୍ୟ ସତ୍ତ୍ୱେ ଶୀତରତୁ ଦରିଦ୍ର ଲୋକମାନଙ୍କୁ ପୀଡ଼ା ଦିଏ । ସେମାନେ ଶୀତବସ୍ତ୍ର ଅଭାବରୁ କଷ୍ଟ ପାଆନ୍ତି । ବୃଦ୍ଧ ବୃଦ୍ଧାମାନେ ଶୀତର ପ୍ରକୋପ ସହ୍ୟକରି ନ ପାରି ମୃତ୍ୟୁ ମୁଖରେ ପଡ଼ନ୍ତି । ଏହି ଋତୁରେ ଥଣ୍ଡା , କାଶ , ଜ୍ବର , ସର୍ଦ୍ଦି , କାଛୁ , କୁଣ୍ଡିଆ ଆଦି ବିଭିନ୍ନ ରୋଗ ହୋଇଥାଏ । 

ଶେଷକଥା : ବାସ୍ତବ ଦୃଷ୍ଟିରୁ ବିଚାର କଲେ ସୁଖ ଓ ଦୁଃଖର ସମାହାର ସତ୍ତ୍ଵେ ଶୀତରତୁ ଜଗତର ହିତ ସାଧନ କରେ । ଏହି ଋତୁ କର୍ମପ୍ରେରଣା ଦିଏ । ଜୀବନକୁ ଚଳଚଞ୍ଚଳ କରିବାର ଉତ୍ସାହ ସୃଷ୍ଟି କରେ । ପୂର୍ଣ୍ଣ ଜୀବନାନୁଭବର ମାଦକତା ଭରିଦିଏ ।

Previous Post Next Post