Bigyanara upakarita odia essay, science essay in odia, science in our daily life essay in odia. Bigyana ra upakarita, bigyana ra karyakshetra, bigyana ra upakarita odia essay, bigyana ra upakarita essay in odia.
ଉପକ୍ରମ : ଆଧୁନିକ ଯୁଗ ହେଉଛି ବିଜ୍ଞାନର ଯୁଗ । ପ୍ରତ୍ୟେକ କ୍ଷେତ୍ରରେ ଆଜି ବିଜ୍ଞାନର ଜୟଯାତ୍ରା ଆଗେଇ ଚାଲିଛି । କୃଷି , ଶିଳ୍ପ , ଶିକ୍ଷା , ମନୋରଞ୍ଜନ ଓ ଚିକିତ୍ସା ପ୍ରଭୃତି କ୍ଷେତ୍ରରେ ଆମର ପ୍ରଗତି ପାଇଁ ବିଜ୍ଞାନ ଯୋଗାଇ ଆସିଛି ତା’ର ଅକୁଣ୍ଠ ପୃଷ୍ଠପୋଷକତା । କେବଳ ସେତିକି ନୁହେଁ , ବିଜ୍ଞାନ ସାହାଯ୍ୟରେ ମଣିଷ ଗଢ଼ିପାରିଛି ତା’ର ସାମାଜିକ ସ୍ଥିତି ଓ ବିକାଶ । ଆଧୁନିକ ସଭ୍ୟତା ଯେ ବିଜ୍ଞାନର ଦାନ ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ ।
ବିଜ୍ଞାନର ଉପକାରିତା : ବିଜ୍ଞାନ ପରି ଆମ ଉପକାରୀ ବନ୍ଧୁ ଆଉ ବୋଧହୁଏ କେହି ନାହିଁ । ଶଗଡ଼ର କଚ୍ଛପ ଗତିରେ ଆଗ କାଳର ମଣିଷ ଧୀରେ ଧୀରେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିଲା । ହଡ଼ାବଳଦକୁ ବୁଢ଼ା ଶଗଡ଼ିଆ - ଏଇମାନେ ଥିଲେ ଯାତ୍ରା ବ୍ୟବସ୍ଥାର ନିୟନ୍ତ୍ରକ । ଆଜି ଆଉ ସେ ଯୁଗ ନାହିଁ । ରେଳଗାଡ଼ି , ମଟରଗାଡ଼ି , ଜାହାଜ , ଷ୍ଟିମର , ସାଇକେଲ , ଉଡ଼ାଜାହାଜ , ମଟର ସାଇକେଲ ଓ ଟ୍ରାମ୍ ପ୍ରଭୃତି ଗମନାଗମନରେ ଆମର କ୍ଲାନ୍ତି ଦୂରକରି ସମୟ ବଞ୍ଚାଇପାରୁଛି ।
ଆମ ଜ୍ଞାନରାଜ୍ୟକୁ ବିସ୍ତୃତ କରିବା ପାଇଁ ମୁଦ୍ରଣ ଯନ୍ତ୍ରର ମୁଦ୍ରଣ ଶିଳ୍ପର ଅବଦାନ ଆମକୁ କୃତଜ୍ଞତାର ସହିତ ମନେରଖୁବାକୁ ପଡ଼ିବ । ତାଳପତ୍ରର ଅସ୍ପଷ୍ଟ ଲେଖା ପଢ଼ି ଆଜି ଦୃଷ୍ଟିଶକ୍ତି ହ୍ରାସ ହେବାର ଭୟ ନାହିଁ , ବହୁପୁସ୍ତକ ଓ ଗ୍ରନ୍ଥ , ନାନାଦି ପତ୍ରପତ୍ରିକା ଓ ସମ୍ବାଦପତ୍ର ପ୍ରଭୃତି ପାଠକୀୟ ରୁଚିକୁ ଶାଣିତ ଓ ମାର୍ଜିତ କରିପାରୁଛି ଏବଂ ମଣିଷର ପଠନ ସ୍ପୃହାକୁ କରୁଛି ଗଭୀର । ଶିକ୍ଷାଜଗତ ପାଇଁ କାଗଜ ହେଉଛି ଏକ ମହାନ୍ ଅବଦାନ ।
ଚିକିତ୍ସା କ୍ଷେତ୍ରରେ ବହୁ ଔଷଧ , ଇଞ୍ଜସନ୍ , ତାପମାନ ଯନ୍ତ୍ର , ଏକ୍ସରେ ପ୍ରଭୃତି ଉଭାବିତ ହୋଇ ମଣିଷକୁ ନାନାଦି ରୋଗ ସଙ୍କଟରୁ ରକ୍ଷା କରିପାରୁଛି ଏବଂ ସ୍ବାସ୍ଥ୍ୟ ବିଷୟରେ ନାନାଦି ଗବେଷଣା କରାଯାଇ ମଣିଷକୁ ଦୀର୍ଘାୟୁ କରିବାର ଉପାୟମାନ ଆବିଷ୍କୃତ ହେଉଛି । ଆଗକାଳରେ ଲୋକମାନେ ଏକ କଠିନ ବ୍ୟାଧିକୁ ଦେବତାର ଅଭିଶାପ ବୋଲି ମନେ କରୁଥିଲେ ଏବଂ ନିଜକୁ ନିଜେ ବୁଝାଇ ଦେଉଥିଲେ ଯେ , ' What can't be cured , Must be endured . ' ଯାହା ଭଲ ହେବନାହିଁ ତାକୁ ସହିନେବାକୁ ପଡ଼ିବ । କିନ୍ତୁ ସେ ନୈରାଶ୍ୟବାଦ ଆଜି ମଣିଷ ମନରୁ ହୋଇଛି ନିର୍ବାସିତ । ନାନାଦି ଔଷଧ ଏବଂ ବୈଜ୍ଞାନିକ ଚିକିତ୍ସା ପଦ୍ଧତି ତା ’ ପ୍ରାଣରେ ଭରିଦେଇଛି ଏକ ଫାଲଗୁନ ସକାଳର ଉନ୍ମାଦନା ।
ଆଜିର ବିଜ୍ଞାନ ଗ୍ରହଗ୍ରହାନ୍ତରକୁ ଯାତ୍ରା କରିବାର ପଥ ଉନ୍ମୁକ୍ତ କରୁଛି । ଏ ପୃଥିବୀ ନାନାଦି ସମସ୍ୟାରେ ଘାଣ୍ଟି ହେଉଥିବା ବେଳେ ମଣିଷ ମହାଶୂନ୍ୟ ଅନ୍ତରୀକ୍ଷରେ ଖୋଜିଲାଗିଛି ନୂତନ ବାସସ୍ଥଳୀ । ମହାକାଶର ନାନାଦି ରହସ୍ୟକୁ ଉଭେଦ କରିବା ପାଇଁ ମଣିଷ ବ୍ୟଗ୍ର ହୋଇଉଠୁଛି ଏବଂ ତା’ର ବୈଜ୍ଞାନିକ ଅନୁସନ୍ଧିସା ତାକୁ ବହୁ ନୂତନ ବୈଜ୍ଞାନିକ ତଥ୍ୟରେ କରୁଛି ଉଭାସିତ ।
ନାନାଦି ନଦୀବନ୍ଧ ଯୋଜନାମାନ ଗଢ଼ାଯାଇ କୃଷି ଓ ଶିଳ୍ପକ୍ଷେତ୍ର ହୋଇଉଠୁଛି ସମୃଦ୍ଧ । ନଦୀବନ୍ଧ ଯୋଜନା ଦ୍ବାରା ବନ୍ୟାର ନିରାକରଣ ସମ୍ଭବ ହେଉଛି ଏବଂ ଏଥିରୁ କେନାଲମାନ ସୃଷ୍ଟି କରାଯାଇ କୃଷିକ୍ଷେତ୍ରକୁ ସୁକଳା , ସୁଫଳା ଓ ଶସ୍ୟଶ୍ୟାମଳା କରାଯାଇପାରୁଛି । ଏଥିରେ ଜଳଭଣ୍ଡାରମାନ ସୃଷ୍ଟି କରାଯାଇ ବିଦ୍ୟୁତ୍ ଉତ୍ପାଦନରେ ଏହା ହେଉଛି ସହାୟକ ।
ଦୈନନ୍ଦିନ ଜୀବନଚର୍ଯ୍ୟାରେ ବିଜ୍ଞାନ ଆମକୁ କ’ଣ ବା ନ ଦେଇଛି ? ଘଣ୍ଟା , ସାଇକେଲ , ରେଡ଼ିଓ , ଟି.ଭି. , ବିଦ୍ୟୁତ୍ ଆଲୋକ ଓ ପଙ୍ଖା , ଫ୍ରିଜ୍ , ୱାସିଙ୍ଗ୍ ମେସିନ୍ ସବୁକିଛି ଆମର ଶ୍ରମଲାଘବ କରୁଛି , ଆମର ସମୟ ବଞ୍ଚାଉଛି ଏବଂ ଆମକୁ କରୁଛି ସ୍ଵାଚ୍ଛନ୍ଦ୍ୟ ବିତରଣ ।
ଶାଢିପୂର୍ଣ୍ଣ ଜୀବନଯାତ୍ରା ପାଇଁ ବିଜ୍ଞାନର ଭୂମିକା : ଆଜିକାଲି ବିଜ୍ଞାନ ଆମର ଯେଉଁ ଅପକାର ସାଧନ କରୁଛି , ତାହା ବିଜ୍ଞାନର ଅପରାଧ ନୁହେଁ । ତାହା ହେଉଛି ମଣିଷର ଅସୁସ୍ଥ ମାନସିକତାର ପରିଣାମ । ଯେଉଁ ଅଗ୍ନି ମଣିଷ ସଭ୍ୟତାର ବିବର୍ତ୍ତନରେ ଗ୍ରହଣ କରିଥିଲା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା , ସେହି ଅଗ୍ନି ସଂଯୋଗ କରି ଆମେ ଗୃହଦାହ କରିପାରିବା , ନବବଧୂକୁ ଜାଳିପୋଡ଼ି ପାଉଁଶ କରିଦେଇପାରିବା ଏବଂ ବିସ୍ଫୋରଣ ଘଟାଇ ସୁଉଚ୍ଚ ଅଟ୍ଟାଳିକାକୁ ଧ୍ୱଂସ କରିଦେଇପାରିବା । ଏସବୁ ଗର୍ହିତ କାର୍ଯ୍ୟ ପାଇଁ ଅଗ୍ନି ଉପରେ ଦୋଷାରୋପ କରାଯିବା ଏକାନ୍ତ ଅଯୌକ୍ତିକ । ଅଣୁକୁ ନେଇ ମାରାତ୍ମକ ପରମାଣୁ ବୋମା ନିର୍ମାଣ ନ କରି ଆମେ ତା’ର ବିନିଯୋଗ ଫଳରେ କଠିନ ବ୍ୟାଧିକୁ ଦୂରେଇ ଦେଇପାରିବା , ମରୁଭୂମିକୁ ଶସ୍ୟଶ୍ୟାମଳ କରିଦେଇପାରିବା ଏବଂ ସମଗ୍ର ବିଶ୍ଵବାସୀଙ୍କୁ ପ୍ରଚୁର ପରିମାଣରେ ଅନ୍ନ , ବସ୍ତ୍ର ଯୋଗାଇ ଦେଇପାରିବା ଏବଂ ସମସ୍ତଙ୍କୁ ସୁନ୍ଦର ବାସଗୃହ ଦେଇପାରିବା । ଅଣୁଶକ୍ତିର ଏପରି ବ୍ୟବହାର ଫଳରେ ମଣିଷ ମୁହଁରେ ହସ ଫୁଟିଉଠିବ ଏବଂ ଏ ମର୍ତ୍ତ୍ୟଲୋକକୁ ଓହ୍ଲାଇଆସିବ ସ୍ଵର୍ଗ ।
ଉପସଂହାର : ମଣିଷର ସମସ୍ତ ଅମଙ୍ଗଳ ପାଇଁ ମଣିଷ ହିଁ ଦାୟୀ । ମଣିଷ ଭିତରର ଷଡ଼ରିପୁ ତାକୁ ସଭ୍ୟତାର ଧ୍ବଂସସାଧନ କ୍ଷେତ୍ରରେ ଦେଉଛନ୍ତି ଲୋଭନୀୟ ମନ୍ତ୍ରଣା । ଷଡ଼ରିପୁଙ୍କୁ ଦମନ କରିପାରିଲେ ମଣିଷ ନିଜେ ନିଜର ପ୍ରଭୁ ପାଲଟିଯିବ ଏବଂ ତା’ର ସୁଖ ସ୍ଵାଛନ୍ଦ୍ୟ ବିଧାନ ପାଇଁ ବିଜ୍ଞାନ ପ୍ରସାରି ଦେବ ତା’ର ବନ୍ଧୁତାର ହାତ । ତା ’ ନକରି ମଣିଷ ଯେବେ ନିଜ ପାଇଁ ନିଜେ ବିପଦ ଡାକି ଆଣିବ , ତେବେ ବିଜ୍ଞାନକୁ ଦୋଷ ଦେବାରେ କି ଯଥାର୍ଥତା ଅଛି ?